1 Corinthians 7

ବିବାହ ସମ୍ପର୍କୀୟ ନିୟମ

1`ତୁମ୍ଭେମାନେ ଯେଉଁ ସବୁ ବିଷୟ ଲେଖିଅଛ, ସେହି ସବୁର ଉତ୍ତର ଏହି, ସ୍ତ୍ରୀଲୋକକୁ ସ୍ପର୍ଶ ନ କରିବା ପୁରୁଷ ପକ୍ଷରେ ଭଲ; 2କିନ୍ତୁ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ୱାମୀ ଥାଉ ।

3ସ୍ୱାମୀ ସ୍ତ୍ରୀକୁ ତା’ର ପ୍ରାପ୍ୟ ଦେଉ, ପୁଣି, ସେହି ପ୍ରକାରେ ମଧ୍ୟ ସ୍ତ୍ରୀ ସ୍ୱାମୀକୁ ତା’ର ପ୍ରାପ୍ୟ ଦେଉ । 4ଭାର୍ଯ୍ୟାର ଆପଣା ଶରୀର ଉପରେ କ୍ଷମତା ନାହିଁ, କିନ୍ତୁ ସ୍ୱାମୀର ଅଛି; ସେହି ପ୍ରକାରେ ମଧ୍ୟ ସ୍ୱାମୀର ଆପଣା ଶରୀର ଉପରେ କ୍ଷମତା ନାହିଁ, କିନ୍ତୁ ଭାର୍ଯ୍ୟାର ଅଛି ।

5ପରସ୍ପରକୁ ବଞ୍ଚିତ ନ କର; କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଉଭୟ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ୍‍ ରହି ପାର; ଆଉ, ତୁମ୍ଭମାନଙ୍କ ଇନ୍ଦ୍ରିୟ ଦମନ ଅଭାବ ହେତୁ ଶୟତାନ ଯେପରି ତୁମ୍ଭମାନଙ୍କୁ ପରୀକ୍ଷା ନ କରେ, ଏଥିପାଇଁ ପୁନର୍ବାର ଏକତ୍ର ହୁଅ । 6କିନ୍ତୁ ମୁଁ ଆଜ୍ଞା ଦେଲା ପରି ନ କହି ପରାମର୍ଶ ଦେଲା ପରି ଏହା କହେ । 7ତଥାପି, ଯେପରି ସବୁ ଲୋକ ମୋହରି ପରି ହୁଅନ୍ତି, ଏହା ମୋହର ଇଚ୍ଛା । ମାତ୍ର କେହି ଏପ୍ରକାର, କେହି ସେପ୍ରକାର, ପ୍ରତ୍ୟେକ ଜଣ ଈଶ୍ୱରଙ୍କଠାରୁ ଦାନ ପାଇଅଛି ।

8କିନ୍ତୁ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହେ, ସେମାନେ ମୋ’ ପରି ରହିଲେ ସେମାନଙ୍କ ପକ୍ଷରେ ଭଲ । 9ମାତ୍ର ଯଦି ସେମାନେ ଇନ୍ଦ୍ରିୟ ଦମନ କରି ନ ପାରନ୍ତି, ତେବେ ବିବାହ କରନ୍ତୁ କାରଣ କାମାନଳରେ ଦଗ୍ଧ ହେବା ଅପେକ୍ଷା ବିବାହ କରିବା ଭଲ ।

10କିନ୍ତୁ ବିବାହିତମାନଙ୍କୁ ମୁଁ ଆଜ୍ଞା ଦିଏ, ମୁଁ ନୁହେଁ, ମାତ୍ର ପ୍ରଭୁ ଆଜ୍ଞା ଦିଅନ୍ତି, ଭାର୍ଯ୍ୟା ଆପଣା ସ୍ୱାମୀଠାରୁ ପୃଥକ୍ ନ ହେଉ, 11(କିନ୍ତୁ ଯଦି ସେ ବିଭିନ୍ନ ହୁଏ, ତେବେ ସେ ଆଉ ବିବାହ ନ କରୁ, ଅଥବା ଆପଣା ସ୍ୱାମୀ ସହିତ ମିଳିତ ହେଉ), ପୁଣି, ସ୍ୱାମୀ ଆପଣା ଭାର୍ଯ୍ୟାକୁ ପରିତ୍ୟାଗ ନ କରୁ ।

12କିନ୍ତୁ ଅନ୍ୟ ସମସ୍ତଙ୍କୁ ମୁଁ କହେ (ପ୍ରଭୁ କହନ୍ତି ନାହିଁ), ଯଦି କୌଣସି ଭାଇର ଅବିଶ୍ୱାସିନୀ ଭାର୍ଯ୍ୟା ଥାଏ, ଆଉ ସେ ତା’ର ସହିତ ବାସ କରିବାକୁ ସମ୍ମତ ହୁଏ, ତାହାହେଲେ ସେ ତାକୁ ପରିତ୍ୟାଗ ନ କରୁ । 13ପୁଣି, ଯେଉଁ ସ୍ତ୍ରୀର ଅବିଶ୍ୱାସୀ ସ୍ୱାମୀ ଥାଏ, ଆଉ ସେ ତା’ର ସହିତ ବାସ କରିବାକୁ ସମ୍ମତ ହୁଏ, ସେ ଆପଣା ସ୍ୱାମୀକୁ ପରିତ୍ୟାଗ ନ କରୁ । 14କାରଣ ଅବିଶ୍ୱାସୀ ସ୍ୱାମୀ ବିଶ୍ବାସୀ ଭାର୍ଯ୍ୟା ହେତୁ ପବିତ୍ର କରାଯାଇଅଛି, ଆଉ ଅବିଶ୍ୱାସିନୀ ଭାର୍ଯ୍ୟା ବିଶ୍ବାସୀ ସ୍ୱାମୀ ହେତୁ ପବିତ୍ର କରାଯାଇଅଛି; ତାହା ନ ହେଲେ ତୁମ୍ଭମାନଙ୍କ ସନ୍ତାନମାନେ ଅପବିତ୍ର ହୁଅନ୍ତେ, କିନ୍ତୁ ଏବେ ସେମାନେ ପବିତ୍ର ।

15ତଥାପି ଯଦି ଅବିଶ୍ୱାସୀ ପୃଥକ ହେବାକୁ ଇଚ୍ଛା କରେ, ତେବେ ସେ ପୃଥକ୍ ହେଉ; ଏପରି ସ୍ଥଳେ ସେହି ଭାଇ ବା ଭଉଣୀ ଆବଦ୍ଧ ନୁହଁନ୍ତି; ଈଶ୍ୱର ତୁମ୍ଭମାନଙ୍କୁ ଶାନ୍ତିରେ ଆଚରଣ କରିବାକୁ ଆହ୍ୱାନ କରିଅଛନ୍ତି । 16ଯେଣୁ ହେ ସ୍ତ୍ରୀ, ତୁମ୍ଭେ ଯେ ଆପଣା ସ୍ୱାମୀର ପରିତ୍ରାଣର କାରଣ ହେବ, ଏହା କ’ଣ ଜାଣ ? କିମ୍ବା ହେ ସ୍ୱାମୀ, ତୁମ୍ଭେ ଯେ ଆପଣା ଭାର୍ଯ୍ୟାର ପରିତ୍ରାଣର କାରଣ ହେବ, ଏହା କ’ଣ ଜାଣ ?

ଯେପରି ଆହ୍ୱାନ ସେପରି ଆଚରଣ

17କେବଳ ପ୍ରଭୁ ଯାହାକୁ ଯେପରି ଦାନ ବିତରଣ କରିଅଛନ୍ତି, ଈଶ୍ୱର ପ୍ରତ୍ୟେକକୁ ଯେଉଁ ଅବସ୍ଥାରେ ଆହ୍ୱାନ କରିଅଛନ୍ତି, ସେ ସେହିପରି ଆଚରଣ କରୁ। ମୁଁ ସମସ୍ତ ମଣ୍ଡଳୀରେ ଏହି ପ୍ରକାର ଆଦେଶ ଦିଏ । 18କେହି କି ସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି ? ସେ ଅସୁନ୍ନତି ପରି ଦେଖାଯିବାକୁ ଚେଷ୍ଟା ନ କରୁ। କେହି କି ଅସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି ? ସେ ସୁନ୍ନତି ନ ହେଉ । 19ସୁନ୍ନତ କିଛି ନୁହେଁ, ପୁଣି, ଅସୁନ୍ନତ କିଛି ନୁହେଁ, କେବଳ ଈଶ୍ୱରଙ୍କ ଆଜ୍ଞା ପାଳନ ହିଁ ସାର ।

20ପ୍ରତ୍ୟେକ ଜଣ ଯେଉଁ ଅବସ୍ଥାରେ ଆହୂତ ହୋଇଅଛି, ସେ ସେଥିରେ ଥାଉ । 21ତୁମ୍ଭେ କି ଦାସ ହୋଇ ଆହୂତ ହୋଇଅଛ ? ଚିନ୍ତା କର ନାହିଁ; ମାତ୍ର ଯେବେ ମୁକ୍ତ ହୋଇ ପାର, ତେବେ ବରଂ ସୁଯୋଗ ଅବଲମ୍ବନ କର । 22କାରଣ ଯେ ଦାସ ହୋଇ ପ୍ରଭୁଙ୍କଠାରେ ଆହୂତ ହୋଇଅଛି, ସେ ପ୍ରଭୁଙ୍କ ମୁକ୍ତ ଲୋକ; ସେହି ପ୍ରକାରେ ଯେ ମୁକ୍ତ ହୋଇ ଅାହୂତ ହୋଇଅଛି, ସେ ଖ୍ରୀଷ୍ଟଙ୍କ ଦାସ । 23ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣାଯାଇଅଛ, ମନୁଷ୍ୟର ଦାସ ହୁଅ ନାହିଁ । 24ହେ ଭାଇମାନେ, ପ୍ରତ୍ୟେକ ଜଣ ଯେଉଁ ଅବସ୍ଥାରେ ଆହୂତ ହୋଇଅଛି, ସେ ଈଶ୍ୱରଙ୍କ ସହଭାଗିତାରେ ସେହି ଅବସ୍ଥାରେ ଥାଉ ।

ଅବିବାହିତ ଓ ବିଧବାଙ୍କ ପ୍ରସଙ୍ଗ

25କୁମାରୀମାନଙ୍କ ବିଷୟରେ ମୁଁ ପ୍ରଭୁଙ୍କଠାରୁ କୌଣସି ଆଜ୍ଞା ପାଇ ନାହିଁ; କିନ୍ତୁ ପ୍ରଭୁଙ୍କ ଅନୁଗ୍ରହରେ ବିଶ୍ୱାସପାତ୍ର ହୋଇ ନିଜର ମତ ଦେଉଅଛି । 26ମୁଁ ମନେ କରେ ଯେ, ମନୁଷ୍ୟ ଯେପରି ଅଛି, ଆସନ୍ନ ଦୁର୍ଦ୍ଦଶା ହେତୁ ସେହିପରି ରହିବା ଭଲ ।

27ତୁମ୍ଭେ କି ଭାର୍ଯ୍ୟା ସହିତ ଆବଦ୍ଧ ? ତେବେ ମୁକ୍ତ ହେବା ପାଇଁ ଚେଷ୍ଟା କର ନାହିଁ। ତୁମ୍ଭେ କି ଭାର୍ଯ୍ୟାଠାରୁ ମୁକ୍ତ ? ତେବେ ଭାର୍ଯ୍ୟା ପାଇବାକୁ ଚେଷ୍ଟା କର ନାହିଁ । 28କିନ୍ତୁ ଯଦି ତୁମ୍ଭେ ବିବାହ କରିଅଛ, ତାହାହେଲେ ସୁଦ୍ଧା ପାପ କରି ନାହଁ; ଆଉ ଯଦି କୁମାରୀ ବିବାହ କରିଅଛି, ତାହାହେଲେ ସେ ପାପ କରି ନାହିଁ। ତଥାପି ଏପରି ଲୋକେ ଶରୀରରେ କ୍ଳେଶ ଭୋଗିବେ ଆଉ ତୁମ୍ଭେମାନେ ଯେପରି ସେଥିରୁ ରକ୍ଷା ପାଅ, ଏହା ମୋହର ଇଚ୍ଛା ।

29କିନ୍ତୁ ହେ ଭାଇମାନେ, ମୋ’ କଥାର ଭାବ ଏହି, ସମୟ ଅତ୍ୟଳ୍ପ, ଏଣୁ ଯେଉଁମାନଙ୍କର ଭାର୍ଯ୍ୟା ଅଛି, ସେମାନେ ଭାର୍ଯ୍ୟା ନ ଥିଲା ପରି ହୁଅନ୍ତୁ । 30ଆଉ, ଯେଉଁମାନେ ରୋଦନ କରନ୍ତି, ସେମାନେ ରୋଦନ ନ କରିବା ଲୋକ ପରି ହୁଅନ୍ତୁ; ପୁଣି, ଯେଉଁମାନେ ଆନନ୍ଦ କରନ୍ତି, ସେମାନେ ଆନନ୍ଦ ନ କରିବା ଲୋକ ପରି ହୁଅନ୍ତୁ; ଯେଉଁମାନେ କ୍ରୟ କରନ୍ତି, ସେମାନେ ଅନଧିକାରୀ ଲୋକ ପରି ହୁଅନ୍ତୁ; 31ଆଉ, ଯେଉଁମାନେ ଜଗତର ବିଷୟ ଭୋଗ କରନ୍ତି, ସେମାନେ ଭୋଗ ନ କରିବା ଲୋକ ପରି ହୁଅନ୍ତୁ; କାରଣ ଏହି ଜଗତର ରୂପ ପରିବର୍ତ୍ତିତ ହେଉଅଛି ।

32କିନ୍ତୁ ତୁମ୍ଭେମାନେ ଯେପରି ଚିନ୍ତିତ ନ ହୁଅ, ଏହା ମୋହର ଇଚ୍ଛା । ଯେ ଅବିବାହିତ, ସେ କିପରି ପ୍ରଭୁଙ୍କର ସନ୍ତୋଷପାତ୍ର ହେବ, ଏଥିପାଇଁ ପ୍ରଭୁଙ୍କ ବିଷୟ ଘେନି ଚିନ୍ତିତ ହୁଏ; 33କିନ୍ତୁ ଯେ ବିବାହିତ, ସେ କିପରି ଆପଣା ଭାର୍ଯ୍ୟାର ସନ୍ତୋଷପାତ୍ର ହେବ, ସେଥିପାଇଁ ସେ ସଂସାର ବିଷୟ ଘେନି ଚିନ୍ତିତ ହୁଏ, ଆଉ ତା’ର ମନ ବିଭକ୍ତ ହୁଏ । 34ଅବିବାହିତ ସ୍ତ୍ରୀ ଓ କୁମାରୀ ଶରୀର ଓ ଆତ୍ମାରେ ପବିତ୍ର ହେବା ନିମନ୍ତେ ପ୍ରଭୁଙ୍କ ବିଷୟ ଘେନି ଚିନ୍ତିତ ହୁଅନ୍ତି; କିନ୍ତୁ ଯେ ବିବାହିତା, ସେ କିପରି ଆପଣା ସ୍ୱାମୀର ସନ୍ତୋଷପାତ୍ର ହେବ, ସେଥିପାଇଁ ସଂସାର ବିଷୟ ଘେନି ଚିନ୍ତିତ ହୁଏ ।

35ଏହି କଥା ମୁଁ ତୁମ୍ଭମାନଙ୍କ ନିଜ ହିତ ନିମନ୍ତେ କହୁଅଛି, ତୁମ୍ଭମାନଙ୍କୁ ବନ୍ଧନରେ ଆବଦ୍ଧ କରିବାକୁ କହୁ ନାହିଁ, ମାତ୍ର ତୁମ୍ଭେମାନେ ଯେପରି ଶିଷ୍ଟାଚରଣ କରି ଏକାଗ୍ର ମନରେ ପ୍ରଭୁଙ୍କଠାରେ ନିବିଷ୍ଟ ଥାଅ, ଏଥିପାଇଁ କହୁଅଛି ।

36କିନ୍ତୁ, ଯଦି କୌଣସି ଲୋକ ବିବାହ ପାଇଁ ନିଜ ବାଗ୍‌ଦତ୍ତା କନ୍ୟାର ଯୌବନାବସ୍ଥା ଗତ ହୋଇଅଛି, ଆଉ ସେ ତାହା ପ୍ରତି ଅନୁଚିତ ବ୍ୟବହାର କରୁଅଛି ବୋଲି ମନେ କରେ, ତେବେ ଆବଶ୍ୟକ ବୋଧ କଲେ ସେ ଯାହା ଇଚ୍ଛା, ତାହା କରୁ; ସେଥିରେ ପାପ ନାହିଁ; ସେମାନେ ବିବାହ କରନ୍ତୁ । 37କିନ୍ତୁ ଯେ ହୃଦୟରେ ସ୍ଥିର ଥାଏ, ଆଉ ଆବଶ୍ୟକତା ବୋଧ ନ କରେ, ପୁଣି, ଯାହାର ଆପଣା ଇଚ୍ଛାନୁସାରେ କରିବାକୁ ଅଧିକାର ଥାଏ, ଆଉ ଯେ ଆପଣା କନ୍ୟାକୁ କୁମାରୀ ରଖିବା ନିମନ୍ତେ ହୃଦୟରେ ସ୍ଥିର କରିଥାଏ, ସେ ଭଲ କରେ । 38ଏଣୁ ଯେ ଆପଣା କୁମାରୀ କନ୍ୟାକୁ ବିବାହ ଦିଏ, ସେ ଭଲ କରେ, ପୁଣି, ଯେ ବିବାହ ନ ଦିଏ, ସେ ଆହୁରି ଭଲ କରେ ।

39ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ଭାର୍ଯ୍ୟା ଆବଦ୍ଧ ଥାଏ; କିନ୍ତୁ ଯଦି ସ୍ୱାମୀ ମୃତ, ତେବେ ଭାର୍ଯ୍ୟା ପ୍ରଭୁଙ୍କଠାରେ ବିଶ୍ୱାସୀ ଯାହାକୁ ଇଚ୍ଛା, ତାହାକୁ ବିବାହ କରିବା ପାଇଁ ସ୍ୱାଧୀନ । କିନ୍ତୁ ସେ ସେହିପରି ରହିଲେ ଅଧିକ ସୁଖୀ ହେବ, ଏହା ମୋହର ମତ, ଆଉ ମୁଁ ମଧ୍ୟ ଈଶ୍ୱରଙ୍କ ଆତ୍ମା ପାଇଅଛି ବୋଲି ମନେ କରେ ।

40

Copyright information for OriULB